Unknown

 

 

 

 

 

 

 

 

 

ସାଧବ ଝିଅ

(ଦ୍ୱିତୀୟ ଖଣ୍ଡ)

ଡକ୍ଟର ମାୟାଧର ମାନସିଂହ

 

–ଏକ–

 

ବିଜନ ବେଳା, ବିଜନ ବେଳା

ବହୁ ନାହୁଁ କାହିଁ ବୋଇତ ଗଲା !

ବୋଇତ ଗଲା !

ସଉଦାଗରର ସାନ ଝିଅ ମୁଁ

ସାତ’ ଭାଇରେ

ଶୟନ ମୋହରେ ହଂସୁଲି ଶେଜେ,

ସ୍ନାହାନ ମୋହର ସୁବାସ-ନୀରେ ।

ସାତ ସାଧବର ସାତ ଝିଅ ସେ

ଭାଉଜ ମୋର,

ଜଣକେ ଜଣକେ କନକ ଶିଖା,

ଜଣକୁ ଜଣକୁ କନକ ପୁର ।

ସାତ ଭାଉଜରେ ସତର କଥା

ମୋହ ପାଇଁକି

ଜଣେ କିଞ୍ଚ ଦେଲେ ପାଟ ପତନି

ଆରେକ ପଚାରେ ଇଛା କାହିଁକି ?

ସାତ ଭାଇଙ୍କର ସାତ ବୋଇତ

କେ ଦେଖି ନାହିଁ ?

ମଣି ମୁକୁତାରେ ବେପାର ଲୀଳା

କେଉଁ ଦରିଆରେ ନ ପଡ଼େ ଛାଇ ?

ସାତ ଭାଇ ସାତ ରାଜ-କୁମାର

ଦେବତା ପରା

ଜଣେ ଆଣି ଦେଲେ ବଉଦ ଶାଢ଼ୀ

ଅରେକ ଯାଚଇ କନକ ଝରା ।

ବିଜନ ବେଳା, ବିଜନ ବେଳା

କହିଲୁ ମୋହର କି ଦୁଃଖ ଥିଲା,

କି ଦୁଃଖ ଥିଲା ।

 

 

ହାଇରେ ହାଇ ହାଇରେ ହାଇ,

ଯୁବା ସେ ଆସିଲେ ବୋଇତ ବାହି

ବୋଇତ ବାହି !

 

ଭାଇଙ୍କି ବନ୍ଦାଇ ଆସିଥିଲି ମୁଁ

ତୋହରି ତୀରେ

ଏଇଠାରେ ଛିଡା ହୋଇଥିଲେ ସେ

ଦେଖି ଦୁଇ ପାଦ ଚଳିଲା କିରେ ?

ବାଲିରେ ଲୁଚିଲା ମାଣିକ ମୁଦି

କନକ-ବଳା,

ହାତରୁ ଖସିଲା ଫୁଲ-ହଳଦୀ,

ହାତରୁ ଖସିଲା ଚାଉଳ-ସରା ।

ଚାହିଁ ପାରିଲ କି ଭଲେ ସେ ମୁଖେ

ଲାଜେ ମରିଲି,

ଚିବୁକ ମିଶିଲା ଭରଜେ ଆସି

ପଚାରିଲି ନିଜେ ‘ଏ କି ଦେଖିଲି’ ?

ହସିଲେ ଭାଉଜେ, ଚାହିଁଲେ ଭାଇ

ରହିଲି ଠିଆ

ବନ୍ଦାଣ ସରିଲା, ଚଳିଲେ ପୁରେ

କେ କିମ୍ପା ବୁଝିବ ବାଳିକା-ହିୟା ?

 

ବିଦେଶୀ ଯୁବକ ଜାଣିବେ କିସ

ବାହିଲେ ତରୀ,

କାହିଁ ଗଲେ ବେଳା, କାହିଁ ଗଲେ ରେ

ତା ବିନେ କେସନେ ଜୀବନ ଧରି ?

ବିଜନ ବେଳା, ବିଜନ ବେଳା

କହ କାହିଁ ଗଲା ବୋଇତ ବାଲା !

ବୋଇତ ବାଲା !

 

 

କେଉଁ ଧନେ ସେ ଗୋ ବଣିକ ଯୁବା

କରେ ବେପାର,

ନାରୀ-ବୁକୁ ଘେନି କି ତା’ ବେବସା

ଭୂଆସୁଣୀ ଲୁହେ ତା କାରବାର ?

ଯେ ଦେଶେ ଯାଏ ସେ, ମୋହ ସରି ଗୋ

ସେ ଦେଶେ ନିକି,

କୁଳ ଝିଅ ତାକୁ ଆପଣା ମନେ

ଆପଣା ହୃଦୟ ଦିଅଇ ବିକି ?

କାହୁଁ ଆସିଥିଲା ? ମୋ ହୃଦ ସାଥେ

କି ନେଲା ଏଥୁ ?

ଆକାଶେ ପବନେ ଅଛ ଦେବତା

ଫେରାଇ ଆଣନ୍ତ ଗମନ-ପଥୁ !

ଜୀବନେ ଏ କିସ ପରମାଦ ଗୋ

ନଥିଲି ଜାଣି

ହଂସୁଲି ଶେଯରେ ନ ଆସେ ନିଦ

ଆଖି ଆଗେ ଭାସେ ତାହାର ଠାଣି !

ଏତେ ଲୋକ ମେଳେ ଜୀବନ, ଏକା

ଲଗାଇ ମତେ,

ତାହାରି ପରଶ ଖୋଜଇ ଦେହ

ଭୁଜ ତା’ ମୋ ଦୋହ ଭିଡ଼ନ୍ତା ସତେ

ଶୋଇବାକୁ ଗଲେ ଆରେକ ପାଇଁ

କରଇ ଥାନ,

ନ ଆସିଲା ସେ ତ, ଆସିଲାନି ରେ

ଏକା ଏକ ମୋର ଯାଉଛି ଦିନ ।

 

ହୋଇଛି ରଜନୀ, ଉଠିଛ ଚାନ୍ଦ

ନାଚେ ଦରିଆ

କାହା ପାଇଁ ମୁହିଁ ସାଧବ ଝିଅ

ଏକାକୀ ତୋ ତୀର ହୋଇଛି ଠିଆ ?

ଫେରିଯିବ ଘରେ ? କି ସୁଖ କହ

କନକ ପୁରେ ?

ମନର ମଣିଷ ନ ମିଳେ ଯଦି

ବୁକୁର ବେଦନା ରହେବୁ କୁରେ ?

ସାତ ଭାଇ ମୋର ସେ ଦେଶେ ଯାଇ

ସେଇ ମାଣିକ,

ଆଣିଲେ ମାନନ୍ତି ସାଧବ ଠିକେ

ଜାଣନ୍ତି କେସନେ ସେଠ ବଣିକ ।

ସେ ମାଣିକ ସତେ ମିଳେ କାହାକୁ

ମିଳେ ନାହିଁରେ

କନକ ପୁରରେ ଚମକ ଦେଖି

ହୀରା-ନୀଳା ଦେଇ ତାକୁ ପାଇରେ ?

 

କେ ଅଛ ଦେବତା, କହ ହେ କହ

ପାଇବା ପଥ,

ଭୁଆସୁଣୀ ଯାହା ଦେବାର ଦେବ,

ରକତ ଦେଇ ମୁଁ ପାଳିବି ବ୍ରତ ।

ମୋ ପରି କି ତରୁଣୀ କେହି

ପାଇଛି ତାକୁ

କିପରି ଲଭିଲା ? ଭୋଗେ କିପରି ?

କହିଲେ ଦେବି ଏ ଜୀବନଟାକୁ ।

ଆଉ କେ ଯୁବତୀ ଶୁଣେ କି ତାର

ବଦନୁ କଥା ?

କିପରି ସେ ବାଣୀ ? ଅମିୟ ସେ କି ?

ଶୁଣ ଲୁଚିଯାଏ ପରାଣ-ବଥା ?

ଆଉ କେ ଯୁବତୀ ବାହୁରେ ତାର

ପଡ଼େ କି ଢଳି ?

କିପରି ସେ ସୁଖ ଜାଣିବି ନିକି ?

ଭାବିଲେ ହୃଦୟ ହୁଅଇ ଦଳି ।

 

ବିଜନ ବେଳା, ବିଜନ ବେଳା

ସାଧବ ଝିଅର ଏ ଦୁଃଖ ହେଲା !

ମାଣିକ ଖଟରେ ବୋହିଲା ଲୁହ

କହୁ ନାହୁଁ କାହିଁ ବୋଇତ ଗଲା !

ବୋଇତ ଗଲା !

•••

 

–ଦୁଇ–

 

ସେ ଆଖି ଦୁଇଟି ସମାନ ମାଣିକ କାହିଁ

ଘାଟେ ଘାଟେ ମୋର ବୋଇତ ତାହାରି ପାଇଁ,

ଛାଡି ମୁଁ ଆସିଲି ସେ କେଉଁ ସାଗର କୂଳେ

ସାଧବ ପୁଅ ମୁଁ ଦିନ କାଟେ ତାରେ ଧ୍ୟାୟି ।

ଆଳପେ ଚାହିଁଲା, ଲାଜେ ମୁଖ ଦେଲା ପୋତି,

ନଖେ ମିଶାଇଲେ ଗଳାହାର ମଣି ଜ୍ୟାୋତି

ପୁଣି ସେ ଚାହିଁଲା, ପୁଣି ମୁଁ ଚାହିଁଲି ଥରେ,

ହସି ଲାଜେ ପୁଣି ନୁଆଁଇଲା ନାସା-ମୋତି ।

ସେତିକି ଚାହିଁବା, ସେତିକି ମୋ ଦେଖା ଦେଖି

ବୁକୁରେ ସେ ଛବି ଯାଇଛି ଗଭୀରେ ଲେଖି,

ଯାହା ଭାବେ ତା’ ର କଥାହିଁ ପଡଇ ମନେ

ଯହିଁ ଚାହେଁ ସେଇ ନୟନ ଉଠଇ ରେଖି l

ଟିକିଏ ଚାହିଁଲା, କେତେ ସେ କହିଲା କଥା,

ଥରେ ସେ ଅନାଇଁ କେତେ ସେ ଦେଉନି ବ୍ୟଥା,

ଉଦାସୀ ସାଧବ ପୁଅ ମୁଁ, ମୋ ଆଖେ ନୀର,

ଭାବଇ ତା ବିନୁ ଜୀବନେ ନାହିଁଛି ପନ୍ଥା ।

କଥା କହିବାର ଥିଲା ନାହିଁ ଅବସର,

ଚଳିଲା ତରୁଣୀ ପଛ କରି ନିଜ ଘର,

ପଛେ ରଖିଗଲା ମୁଗୁଧ ତରୁଣ ମତେ

କରି ମତେ ନବ ପିପାସାରେ ଜର ଜର ।

ବେଳାର ଜନତା କରମେ ତାହାର ଲାଗେ

ଉଦାସେ ବୋଇତ ଭାସିଇ ବାରଧି ଭାଗେ ।

ନୂତନ-ପ୍ରଣୟ-ବିକଳ ସାଧବ ପୁଅ

ଚାହିଁ ରହିଲା ଯେ ରୂପସୀ ଚଳିଲା ଆଗେ ।

ବୋଇତେ ଆସିଲି, ଟେକାଇ ଦେଲି ମୁଁ ପାଲ

ସ୍ୱଦେଶେ ଫେରିବା ପାଇଁ ହୋଇଥିଲା କାଳ,

ସେଇ ଦିନୁ, ପ୍ରତି ଘାଟେ ମୁଁ ଖୋଜୁଛି ପରା

ସେ ନୟନମଣି ଅୟତମଣିରେ ସାର ।

ସାଧବ ପୁଅ ମୁଁ ବୋଇତରେ ମୋ ଜୀବନ,

ସାଗର ଲହରୀ ଗଣି ସରେ ଯଉବନ,

ଧ୍ରୁବତାରା ଚାହିଁ ଶୁଖାଇ ଆଖିର ପାଣି

କାନେ ଚିର କଟୁ ସୁନା ରୂପା ଝଣ ଝଣ ।

ପିତା ମୋ ଦେଶରେ କୁବେର ନଗର-ଶେଠ,

ଘରେ ଧରେ ମଣି-ପ୍ରଦୀପ କନକ-ପୀଠ,

ଦାସ-ଦାସୀ ଦେହେ ସୁନାଛିଟା ପାଟଶାଢ଼ୀ,

ଯାଚକମାନଙ୍କ ସେବା ହୁଏ ଅବିରତି ।

ପାରବଣେ ଯେତେ ପୁରବାଳା ଆସି ଘରେ

ଶୋଭାନ୍ତି ଅଗଣା ବଦନ କମଳ ଦଳେ,

କିଶୋରୀ- ଯେତେକ ଦୋଳାଇ ମୋହନ ବେଣୀ

ଦୋଳାଇ ଦିଅନ୍ତି ଯୁବାଜନ ମରମରେ ।

ଦେଖିଥିଲି ତାହା କିଶୋର ବୟସେ ପରା,

ତା ପରେ ଜୀବନ ବୋଇତେ ହୋଉଛି ସରା,

ବାପାଙ୍କ ବଚନ ମାନି ମୁଁ ବଣିକ ପୁଅ

ଘାଟେ ଘାଟେ ଅଜି ବୁଲାଉଛି ମୋ ପସରା ।

ଯଉବନ ଗଲା ଅ-ସାଥୀ ସାଗର ପରେ

ସାଥି-ଖୋଜେ ପ୍ରାଣ ଶମିବ କାହାର ବଳେ ?

ଘାଟୁ ଘାଟେ ତରୀ ଭିଡି ମୋ ଜୀବନ ଗଲା,

ପରାଣ ତରୀ ମୋ ଭିଡିବି କା’ ପଦତଳେ ?

ଯେ ଦିନୁ ସେ ମଣି ଦେଖିଲି ଏ ନୟନରେ

ପ୍ରଣୟର ନିଆଁ ଜଳଇ ହୃଦୟ ତଳେ,

କେ ଦେବ ସେ ମଣି ? ଗଳାରେ କରିବି ହାର

ଲଭିବ ହୃଦୟେ ବିପୁଳ ଦହନ ଖରେ ।

ନଙ୍ଗର ପକା ତ, ନଙ୍ଗର ପକାରେ ମାଝି,

ଏଇ ତ ସେ କୂଳ, ସେଇ ତ ସଉଧରାଜି,

ସେଇ ବେଳା, ସେଇ ଦେଉଳେ ପତାକା ଉଡେ

କେତେ ଘାଟେ ବୁଲି ଫେର ମୁଁ ଆସିଛି ଆଜି ।

କେତେ ଦେଶୁଁ କେତେ ଆଣିଛି ମୁଁ ଉପହାର

କାବେରୀ ଦେଇଛି ଧବଳ ହୀରକ ହାର,

ଚୋଳରୁ ଆଣିଛି କନକ କୁସୁମ ମାଳା,

ସବୁ ଦେବି ଥୋଇ ଚରଣ-କମଳେ ତାର

ତା ସାଥେ ଦେବି ଏ ତରୁଣ ହୃଦୟ ମମ

ତା’ ଚରଣ ତଳେ ବିନୟିତ ଦାସ ସମ,

କହିବ–“ଏ ମୁଖ ପାଇଁ ମୁଁ ଜୀବନ ଦେବିଁ

କହିବ–“ତୋ ସେବା ଜୀବନେ ଧରମ ମମ ।”

କୂଳେ ଭିଡ଼ ତରୀ, ଆସ ରେ ମାଳଦା ମାଝି

ବହି ଆଣ କୂଳେ ମାଣିକ ବଣିଜ ରାଜି,

ପେଣ୍ଠରେ ପଇଠ କରି ତମେ ଏଥି ରହ

ଯାଏ ମୁଁ ନଗରେ କପାଳ ମୋ ଖୋଜି ଖୋଜି ।

ବୁଲିବି ଯାଉଛି ନଗରର ପଥେ ପଥେ

ଦେଖିବି ଯଦି ସେ ଯାଉଥାଏ କାହିଁ ରଥେ,

ଦେଖିବି ଯଦି ସେ ବାତାୟନେ ଥିବ ଚାହିଁ

ଦେଖିବ ଯଦି ସେ ଚାହାଣିରେ ଜାଣେ ମତେ ।

ମାଳାକାର ହେବି ତା’ କବରୀ ହାର ରଚି,

କାଚରା ହେବି ମୁଁ ଦେବାକୁ ତା’ କର ଖଚି,

ସୁନାରୀ ହେବି ତା’ ଚରଣ ବଳୟ ଲାଗି,

ନପିତ ହୋଇ ତା ଚରଣ ମାଜିବି ବସି ।

ଏଇ ଯେ ସେ ବେଳା–ପାବନ ତା ପଦ ଲାଗି,

ଆଖି ଆଗେ ମୋର ସେ ଦିନ ଉଠଇ ଜାଗି,

ମନେ ହୁଏ ଏଇ ଉଷର ବାଲୁକା ପରେ

ଶୁଅନ୍ତି ମୁଁ ଥରେ ତା’ ପଦ ପରଶ ଲାଗି ।

କାହିଁକି ବା ଯିବି ? ଚହ୍ନିବ ସେ କି ଗୋ ମତେ ?

ବିଦେଶୀ ମୁଁ–ଖାଲି ନୟନ ମିଶିଛି ପଥେ,

ଏଥିରେ କି ଆଶା ? ମୁଡିପରି ହୁଏ କିପାଁ ?

ମୋ ପରି ତରୁଣ ନ ଥିବେ ନଗରେ କେତେ ।

ତଥାପି ମାନୁନି ମନ ମୋ ବାସନା ଖାଲି,

ଆଉ ଥରେ ଦେଖେଁ ପରାଣର ସେ ସଂଖାଳି,

 

 

ଥରେ ଆଉ ଖାଲି ଆଖେ ଆଖି ଯାଉ ମିଶି,

ଆଶା ନ ଦେଖିଲେ–ବୋଇତ ମୋ ଦେବି ଚାଳି ।

•••

 

–ତିନି–

 

ଦେଖା ହେବ ନାହିଁ

ଯେ ଦୂର ପ୍ରଣୟୀ,

ତାରେ ମୁଁ ସଁପିଲି ମନ

ଯା’ ପାଇଁ ରଖିଲି

ତା ହାତେ ନପଡି

ଶେଷ ହେବ ଯଉବନ ।

ଆଉ ନିତି ଦିନ

ତନୁ ପ୍ରସାଧନ,

ନାହିଁ ଲାଗେ ମନ ସଖି,

କାହାର ଭରସା

ପାଇଁ ସାଜି ଖୋଷା

ବାତାୟନେ ଆଖି ରଖି ?

କଳିକା ଫୁଟଇ

କୁସୁମ ଝଡଇ

ପୁଣେ ତ କଳିକା ଉଠେ,

ମୋ ମନ-ଲତାରେ

କୁସୁମ-ଆସାର

କଳିକାରୁ ତଳେ ଲୁଟେ ।

ମାଟିର ଶିବ ଯେ

ନିତି ନିତି ପୂଜେ

ମନାସିଲି ଦେବ ଦେବୀ,

ମାଣିକ ପ୍ରଦୀପ

ଜାଗରେ ଜାଳିଲି

ଠାକୁରାଣୀ ପଦ ସେବି ।

ମରୁଛି ବିଫଳେ

ଭାସି ଆଖି ଜଳେ,

ନୟନେ ଦେଖିଲି ନାଇଁ

ଆଉ ବାରେ ହେଲେ,

ତରୁଣ ଯେ ଗଲେ

ସେଦିନ ବୋଇତ ବାହି ।

ଆଉ କି ଆସିବେ

ନୟନେ ଦଶିବେ,

ତଥାପି ଏ ପୋଡ଼ା ମନ

କହେ କାନେ କାନେ

ଅଶାର ଛଳନେ

‘ମିଳିବ ହଜିଲା ଧନ’ ।

ସେହି ସେ ଆଶାରେ

ରହିଛି ଧରାରେ

କହୁଛି ତୁମରେ କଥା

ମାଣିକ ରତନ

ଦାସୀ ପରିଜନ,

ନେବେ କି ପରାଣ-ବଥା ?

ଜଳଧି ବେଳାରେ

ଅବା କେଉଁଠାରେ

ଦେଖୁ ଯଦି ମତେ କହି

ଦୁଖ ମୋର ହର,

ମାଳୁଣୀ ଲୋ ମୋର,

ତୋଷିବ ବଧାଇ ଦେଇ ।

ଗଭୀର ନିଶୀଥେ

ଉଠି ମୋର ପୀଠେ

ତେଜିକୁ ମଳିନ ଦୀପ

ଉଠାଇବୁ ମତେ

କହିବୁ ଗୁପତେ

କପୋଳେ ଛୁଇଁଣ ଟିପ ।

‘କିଶୋରୀ ଦେଖ ଲୋ,

ତୋ ରାଜକୁମାର

ବାତାୟନ ତଳେ ଠିଆ

ବାଟରୁ ଫେରାଇ

ଆଣିଅଛି ଧାଇଁ

କହ ତୋ ବ୍ୟଥିତ ହିୟା’ ।

ଏହି ସଖୀପଣ

କରି ଏ ଜୀବନ

ମାଳୁଣୀ ରଖ ତୁ, କହେ

ଥାଉ ପ୍ରସାଧନ

କୁସୁମ ଭୂଷଣ

ଜୀବନ ତ ନାହିଁ ଥୟେ ।

•••

 

–ଚାରି–

 

କୁସୁମ ହାରେ ଗୁନ୍ଥି ଯୁବା ତରୁଣୀ

ବଳା ବଜାଇ ଚଳେ ଧୀରେ ମାଳୁଣୀ

କରକେ ଧରିଅଛି ଫୁଲ ଚାଙ୍ଗଡା

ସେ ଫୁଲେ ଅଛି କେତେ ହୃଦ-ମାଗୁଣି ।

ମୁଣ୍ଡରେ ଝରାକାଠି ଖୋଷାରେ ଖୋସା

ପାଦରେ ଝୁମ୍ପା ଭରି ଦେଇଛି ଯୋଷା,

ପୃଥୁଳ ବାହୁ ଭରି କୁଟିଛି ଚିତା

ନୟନେ ଖଞ୍ଜାରାଟ ହୋଇଛି ପୋଷା ।

ନାକକେ ନୋଥ, ନାକଚଣା ଆରକେ

ଦଣ୍ତି-ଝଲକା ଓଠେ ବାଜି ଝଲକେ ।

ଅଧର ଘନ-ଲାଲ ବିଡ଼ିଆ ରାଗେ

ଚଳଇ ନାରୀ, ପାନ ଜାକି ଗାଲକେ ।

କପାଳେ କଳା-ଚିତା ପରି ଟିକିଲି

ମହଣ ଦେଇ ଟାଣେ ଦେଇଛି କିଳି,

ମହଣ ଦେଇ ପୁଣି କାଢ଼ିଛି ମାଙ୍ଗ,

ଖେଳାଇ ଢେଉ, କେଶ ଦେଇଛି ଭିଡ଼ି ।

ବାହୁରେ ତାଡ଼, ଗୋଡ଼େ ପାହୁଡ଼ ବଳା

ସରଣୀ କମ୍ପେ ଯେବେ ଚାଲେ ଅବଳା,

ଧରଣୀ-ନଦୀ ଭାଙ୍ଗି ଚରଣ ମୁଦ

ଶିଖାଇ ତରୁଣୀଙ୍କୁ ଚଳନ-କଳା ।

ନଗର କିଶୋରିଏ ତା ପଥ ଚାହିଁ

ଗବାକ୍ଷ ତେଜ କାହିଁ ଯାଅନ୍ତି ନାହିଁ;

ଉଛୁର ହେଲେ ମାନ କାହିଁରେ କିବା

ସେ ମାନ ଭେଙ୍ଗେ ଗଭା ଯତ୍ନେ ସଜାଇ ।

ବରାଙ୍ଗୀ ଏକେ ଏକେ ବରାଦ ଏକ

କେ ଚାହେଁ ସୂର୍ଯ୍ୟମୁଖୀ, କେ କୁରୁବକ,

କାହାର ଅବା ଲୋଡ଼ା କଦମ୍ବ-କଢ଼ି,

କରବୀ କାମିନୀ ବା କାହାର ସଖି ।

ମାଳରେ ହେଲେ ଜଣକର ଆଦର,

କବରୀ-ସାଜ ମାଗିଥାଏ ଅପର ।

କେ ମାଗେ ନିପ ପୁଷ୍ପ ଦେବାକୁ କାନେ

କୁସୁମ ଗୁଛେ କାର ଶରଧା ବଡ଼ ।

 

ତରୁଣୀ କେହି ତାରେ କରିଛି ଅଳି

ଦେବାକୁ ଏ ଅଷାଡ଼ କଦମ୍ବକଳି

ନିତିକି ନିତି; ଯେଣୁ ଅସିବ ପ୍ରିୟ

ବରଷା ଯାପି ଯିବ ପ୍ରବାସେ ଚଳି ।

କିଶୋରୀ କେହି ମାଗିଥିଲା କେତକୀ

ଗଲା ବସନ୍ତେ ଭଲେ ହଂସ-ଗତିକି

ଯୋଗାଇ ନପାରିଲା, ବଢ଼ିଛି ମାନ,

ମନା ହେଉଛି ଯିବା ତାର କତିକି ।

କେ ବଧୂ ବୋଲେ ‘ଅୟି ମାଳୁଣୀ ସଖି,

କହିବି ଗୋଟେ କଥା ପାରିବ ରଖି ?

ପୂର୍ଣ୍ଣିମା ଦିନ ସେ ଗୋ, ଆସିବେ ଘରେ

ବକୁଳ ମାଳା ଏକ ଗୁନ୍ଥି ଦେବ କି ?’

କାହାକୁ ନାହିଁ ବୋଲି କହଇ ନାହିଁ

ହସି ଚତୁରୀ କହେ ଆଣିବା ପାଇଁ,

କାମିନୀ ମନ ସେତ ବୁଝିଛି ଭଲେ

ଭୁଲାଇ ରଖିଥାଏ ଆଶା ଦେଖାଇ ।

 

ଯାଉ ଯାଉ ସେ ରାଜପଥେ ଚତୁରୀ

କିଶୋରୀ ଗଣ ହୋଇ ଅତି ଆତୁରୀ

ଡାକନ୍ତି ହାତ ଠାରି ଗବାକ୍ଷ ପଛୁ

‘ମାଳୁଣି, ରାଣ, ଆଗ ଆସ ଏ ପୁରୀ ।’

କେ କହେ ‘ବେଳ ଗଲା କବରୀ ସାଜି

ପାରିବ ନାହିଁ ତୋର କୁସୁମ ଆଜି,’

ଆଉ କେ ବୋଲେ ‘ତୋର କେତେ ଲୋ ଆୟୁ

ଏକ୍ଷଣି ଖୋଜୁଥିଲି ପରାଗ-ରାଜି ।’

ସକଳ ରୂପସୀର ମନକୁ ଧରି

ମାଳୁଣୀ ଜାଣିଅଛି ସାରା ନଗରୀ

ତରୁଣ ତରୁଣୀଙ୍କି ରଖିଛି ହାତେ

ତା ନାମେ ତାଙ୍କ ବୁକୁ ଉଠାଇ ଥରି ।

ତଥାପି ପ୍ରିୟ ନାରୀ ସବୁରି ଘରେ,

ବିଶ୍ୱାସ ସବୁ କିଶୋରୀର ତା ପରେ,

ତା ବକ୍ଷେ କେତେ ବକ୍ଷ-ଗୋପନ କଥା,

ତା ମୁଖୁ କେତେ ପୀୟୁଷ ଝରେ ।

 

(୨)

 

କିଶୋରୀ ମେଳେ ଶ୍ରେଷ୍ଠ ସାଧବବାଳା

ମାଲୁଣୀ ନିତି ତାରେ ଦିଅଇ ମାଳା,

ଯତନ କରି ଜୁଡା ଦିଅଇ ବାନ୍ଧି,

ହେବାକୁ ଦେଖମାଙ୍କ ହୃଦୟ-କାରା ।

ତା ପାଇଁ ବଗିଚାରେ ଭିନ୍ନ ବ୍ରତତୀ

ପୃଥକ ପୁଣି ତାର ସଲିଳ ଘଟେ

ପୃଥକ ହୋଇ ଫୁଟେ ତାପାଇଁ ଫୁଲ

ସରସ ସବୁଠାରୁ ତାର ମାଳାଟି ।

ଦିନେ ମାଳୁଣୀ ଭୁଜେ ଫୁଲର ହାର

ଅନନ୍ତ କରି ବାନ୍ଧିଦେଲା ବାଳାର

ଘଡ଼ିକେ ଡାକଦେଲା କାଟିଲା ବୋଲି

ରକତ-ଦାର ବହୁ କଷ୍ଟେ ବାହାର ।

ଚିକ୍କଣ କେଶେ ଫୁଲ ରହଇ ନାହିଁ

କବରୀ ଭାରି, ଦେଲେ ମାଳା ଗୁଡ଼ାଇ,

ଗଳାରେ ଦେଲେ, କାଢ଼ିଦିଏ ଘଡ଼ିକେ

କୋମଳ କାନ୍ଧ ଦୁଇ ଯାଏ ବଥାଇ ।

ଏଣୁ ମାଳୁଣୀ ବଡ଼ ବିପଦେ ପଡ଼େ

ସଜାଇବାକୁ ତାଙ୍କୁ ନିୟତି ଡ଼ରେ

କୁସୁମ କୋମଲ ଯା’ ଶରୀରଲତା

ପିନ୍ଧାଇବାକୁ ତାକୁ ତା’ କର ଥରେ ।

ସାଧବଝିଅ ପାଶେ ଚଳେ ମାଳୁଣୀ

ଅପେକ୍ଷା କରିଥିବ ବର-ତରୁଣୀ

କରରେ ଧରିଅଛି ଫୁଲ ଚାଙ୍ଗଡା ।

ସେ ଫୁଲ ତଳେ କେତେ ହୃଦ-ମାଗୁଣି ।

 

(୩)

 

ଭେଟିଲା ଦୂରଦେଶୀ ସାଧବ ସୁତ

ଏକାକେ ତାକୁ । ତାର ଅଧର-ପୁଟ

ସାହସ ଶୁଣାଇଲା ଶୁଣ ତ ଟିକେ,

ଦେଖୁଛ ବେଶ ବାସୁଁ ବିଦେଶୀ ମୁଁ ତ !’

କରୁ ଚାଙ୍ଗୁଡ଼ି ଆଣି କଟିରେ ଥୋଇ

ମାଳୁଣୀ ଅନାଇଲା ଚକିତ ହୋଇ

ଦେଖିଲା ରୂପବନ୍ତ ତରୁଣ ଆଗେ,

ଲାଜେ ତା ଆଖି ଟିକେ ଯାଉଛି ନୋଇ ।

ସାଧବପୁଅ କହେ ‘ମାଳୁଣୀ ପରା

ଦିଶୁଛ, ଖାଲି ନେଇ ଫୁଲ ପସରା

ବୁଲ ନା ଆଉ କିଛି କର ଗୋ ନାରି,

ଗରଜ ଅଛି ମୋର କହତ ତ୍ୱାରା !’

ଚତୁରୀ ମଳୁଣୀ ସେ କହିଲା ହସି

“ଖାଲି କି ଫୁଲ ବିକେ ? ଲଗାଏ ରଶି

ଏ ଫୁଲ ଦେଇ ଯୁବା ଯବୁତୀ ହୃଦେ

କୁସୁମ ହାରେ କେତେ ହୃଦୟ କଷି ।

ମୋ ଲାଗି ଏ ନଗରେ କିଶୋରୀ ଦଳ

ଦେଖନ୍ତି ନିରଜନେ ମୁଖ ପ୍ରିୟର

ମୋ ଫୁଲ ଦିଏ ଭାଷା ତରୁଣ-ପ୍ରେମେ,

ପ୍ରଥମ ଉପହାର ତରୁଣୀଙ୍କର ।

କି କାମ ଅଛି “ବୋଲି କହିଲା ନାରୀ,

“ଚାହିଁତ ଥିବେ ମୋତେ ସାଧବ-ବାଳୀ–’’

ଚମକି ଅନାଇଲେ ବିଦେଶୀ ଯୁବା

ପଚାରେ ‘ସାଧବରେ ତୁ ସେବାକାରୀ ?’

 

‘କାହିଁକି ?’ ପଚାରିଲା ମାଲଣୀ ପୁଣ

ତରୁଣ କହେ ‘ଦେଖାଇବି ମୋ ଗୁଣ

ମାଳା ମୁଁ ଗୁନ୍ଥିପାରେ ବିତିନ୍ତ୍ର କରି

କବରୀ ସାଜିପାରେ ଅତି ନିପୁଣ ।’

‘ବିଦେଶୀ ମାଳାକାର ? ଆସ ଗୋ ତେବେ’

ବୋଇଲା ନାରୀ ନିଶ୍ଚେ ଗୁଣ ଚିହ୍ନିବେ,

ସାଧବ କନ୍ୟା ଆଉ, ନ ଚିହ୍ନୁ କେହି

ଚିହ୍ନାଇ ଦେବି, ରହି ମୋ ଘରେ ଯେବେ ।

ଗୁନ୍ଥିବ ମାଳା କାଲି ଯତନ କରି

ସାଧବ କନ୍ୟା ପାଶେ ନେବି ମୁଁ ଧରି

ଆସ କୁଟୀରେ’–ଲେଉଟିଲା ଘରକୁ

ସାଧବ ପୁଅ ଚଳେ ଶିବ ସୁମରି ।

•••

 

–ପାଁଚ–

 

ରାଜପୁଅ ବଡ଼ ହଟିଆ

ଏବେ କରିଛି ହଟ

ସାଧବ ସୂତାକୁ ଉଆସେ

ନେବ, ଏଇ ତା’ କଣ୍ଟ ।

ସାତ ରାଣୀଙ୍କର ଏକ ସେ

ପୁଅ ନୃପତି-ଆଖି

ଅତି ସେରନ୍ତାରେ ସରିଛି,

ମନ୍ଦ ନାହିଁଛି ବାକୀ ।

ଯାହା ସେ ଚାହିଁବ, ପାଇବ;

ଯାହା କହିବ ହେବ;

ନାହିଁକରି ହେବ ବଇରି

ଏତେ ଦମ୍ଭ କା ଥିବ ?

ଗର୍ଭିଣୀଙ୍କୁ ଚିରି ଦେଖିଛି

ଶିଶୁ ଖେଳେ କିପରି,

ଅଟ୍ଟାଳିରୁ ଫିଙ୍ଗି ମନିଷ

ଦେଖେ ପତନ-ଶୀରା ।

କୁଳବାଳା ନ୍ତ୍ରାସ ନଗରେ

କଟୁଆଳ ତା’ ଭୟେ,

ନିଜେ ଦିଏ ପାପ ଆହାର,

ଅବା ନୀରବ ରହେ ।

ପାରଧିକି ଯାଉଁ କେବେ ସେ

ନଇ ତୁଠେ ଦେଖିଲା

ସାଧବ ଝିଅର ସଙ୍ଗିନୀ ସଙ୍ଗେ

ସ୍ନାହନ ଲୀଳା ।

ପରିଚୟ ବୁଝି ଫେରି ସେ

ଘରେ ଧରିଛି ହଟ

ବିଭା ହେବ ତାକୁ, ନଚେତ

ନିଶ୍ଚେ ଛାଡିବ ଘଟ ।

ସାଧବକୁ ଡାକି ରାଜନ

ପୃଚ୍ଛା କରନ୍ତେ ମାନେ,

କହିଲେ ସେ–“ଆଜ୍ଞା ଆମେ କି

ଯୋଗ୍ୟ ରାଜଗହଣେ ?

ମାଆ ତାର କଥା ଦେଇଛି

ଆଗୁଁ ଶ୍ରୀ ନୀଳଚଳେ

ଚେଳିତାଳପୁର ସାଧବ–

ଶ୍ରେଷ୍ଠୀ ସୁତ ସଙ୍ଗରେ ।

ସେଥାନୁ ବୋଇତ ଆସିଛ

ଖୋଜି ବୁଝିବି ଠିକ,

କିପାଇଁ ଏ ମଲା କାଳେ ମୋ–

କଥା ହେଲା ଅଳିକ ?

ଏକଥା କାନରେ ପହଞ୍ଚୁ

ଗରଜିଲା କୁମାର

‘ଦେଖିବି କିଏ ସେ ପୁରୁଷ

କେତେ ସାହସ ତାର ।

ମୋ ଆଖି ଆଗରୁ ଘେନି ସେ

ଯିବ ନାରୀ-ମାଣିକ

ସିଂହ ଥାଉଁ ହେବ କାନନେ

ବିଲୁଆ କି ମାଲିକ ?’

ପୁରପାଳେ ଡାକି ବରଗି

ଦେଲା ପାଇକ ଶତ

ଛକି ଦେଖିବେ ସେ ସାଧବ

ଘର ଗତ ଆଗତ ।

ସୁତା ତାର କାହିଁ ଯିବାରେ

ହେଲେ ସନ୍ଦେହ କାଳେ

ତତକାଳେ ଦେବେ ସମ୍ବାଦ

ଧାଇ ରାଜକୁମାରେ ।

•••

 

–ଛଅ–

 

ବୋଇତରେ, ଘରେ, ବେଳା ଭୂମେ

ଦେଖୁଥିଲି ସପନ ଯାହାର

ଦରିଆ ମୁଁ କାଟି କାଟି ଆଜି

ଆସିଅଛି ନିକଟେ ତ ହାର ।

ଚାରି ଆଖି ହେବ କି ତା’ ସାଥେ

ଉତ୍ତର କି ଦେବ ସେ ଆଖିରେ ?

ଫେରିବି ବା ବିଫଳ ବାସନା

ଯହୁଁ ଆସିଥିଲି ସେହି ତୀରେ ?

ବନ୍ଦାଇକି ନଯାଏ ବୋଇତ

ବେଳାକୁ ସେ ଭାଇଙ୍କ ଗହଣେ ?

ନଦୀଘାଟେ ସଖୀଗଣ ସାଥେ

ନ ଯାଏ କି ସେ ଅବଗାହନେ ?

କାହିଁ ହେଲେ ଦେଖିବି ମୁଁ ଥରେ

କ୍ଷଣେ ହେଲେ ସେହି ରୂପ ଶିଖା

ଆସିଛି ମୁଁ ବହୁ ଦେଶ ଡେଇଁ

ଏହି ମୋର ହୃଦୟର ଭିକ୍ଷା ।

ମୁଁ ଯେ ତା’ ର ଅତି ଅଭାଜନ

ଏକଥା କି ବତାଇବ କିଏ ?

ମୁଁ ଯେ ହୀନ ଖତଦୋ କୀଟ,

ରୂପବତୀ ପ୍ରଜାପତି ସିଏ

ତା ଚରଣ ଦାସ ହେବି ଯଦି

ଏ ଜୀବନ ସଫଳ ମଣିବି

ତା ତନୁର ମୃଦୁ ସ୍ୱେଦବାରି

ବି ଚି ଧୀରେ ଅଲକ୍ଷ୍ୟେ ହରିବି ।

ତାହାଲାଗି ଆଗୁରୁ ଚନ୍ଦନ

ବାଟି ଗୋଳି ରଖିବ ଯତନେ

ତାହା ଲାଗି କୁସୁମ ଭୂଷଣ

ରଚିବି ମୁଁ ଭକତର ମନେ ।

ବସନ୍ତରେ ନିଶୀଥ ମଳୟେ

ତା ତନୁର ମୃଗମଦ ରାଗ

ଭାସି ଯେବେ ଆସୁଥିବ,ମୁଁ କି

ନ ପାଇବି ସେ ଦାନର ଭାଗ ?

ଅଲକ୍ତକ ଚରଣେ ଫୁଟାଇ

କୋକନନ୍ଦ,ଚାଲିବାର ବାଟେ

ଚାଲିଯିବ ଯେବେ ସେ ମେଲାଇ

ମୁକ୍ତ-ବେଣୀ-ମେଘ ସ୍ନାନଘାଟେ,

ଧରି ପଛେ ପ୍ରସାଧନ ତାର

ଯିବାକୁ କି ନୋହିବି ଭଜନ

ମୋଠାରୁ କି ଭଲ ସେବା ଦେବେ

ତା’ ଘରର ଯେତେ ଭୃତ୍ୟାଳନ ?

ମାଲଣୀ ତୁ ଦିଏ ଏ ମାଳାଟି

ଆଜି ନେଇ କିଶୋରୀକି ତୋର

ଯଦି ତାର ହୋଇବ ପସନ୍ଦ

କହିବୁ ମୁଁ ମାଳି କଳିଙ୍ଗର ।

ସଞ୍ଜ ଆସି ହୋଇଗଲା ଏବେ,

ଫୁଟିଲେଣି ତାରକା ଗଗନେ

ଆରତିର ବାଜଣା ବାଜଇ

ନଗରର ଦେଉଳ ପ୍ରାଙ୍ଗଣେ ।

ରକତର ଦୀପ ଜଳିବଣି

ସାଧବର କିଶୋରୀର ଘରେ

ଶୋଇଥିବ ଅଳସେ ପରା ସେ

ତନୁ ଫିଙ୍ଗି ହଁସୁଲି ଶେଯରେ ।

ଦୀପାଲୋକେ ଦୀପ୍ତି ଶ୍ରୀଅଙ୍ଗର

ଜଳୁଥିବ ଅଗ୍ନିଶିଖା ସମ

ତାର ତନୁ ପରଶରେ ଯେହ୍ନେ

ଚାସ ଭୂଷା ଦିଶେ ମନୋରମ ।

ଲମ୍ବ ନେନ୍ତ୍ରେ ଏଣେ ତେଣେ ଚାହିଁ,

ସଖୀ କାରେ କହୁଥିବ କଥା

ସ୍ମିତ ମୁକ୍ତା ପଡୁଥିବ ବିଞ୍ଚି

ଉପାଧାନ ଚୁମ୍ବୁଥିବ ମଥା,

ଅବା କର ଥୋଇ କପାଳରେ,

ନିରଜନେ ଭାବୁଥିବ କାରେ

କିଏ ସେହି ଭାଗ୍ୟଧର ଭବେ ?

ମୁଁ କି–ମୁଁ କି–ମୁଁ କି ହୋଇପାରେ ?

•••

 

–ସାତ–

 

ନୂଆ ହାତ କା’ ର ଲାଗିଥିଲା ପରି

ଲାଗଇ

ମାଳୁଣୀ ତୁ କହ,ଗଲାଣି ମୋ ସବୁ

ରାଗହିଁ ।

ଏତେ ଡେରି କଲୁ ମନେ, ମନେ ଥିଲି

ରାଗି ଯା-

ଦେଇଥାନ୍ତ କାଲି, ଦୁଆର ବାସନ୍ଦ—

ଦାଗିଦା ।

ଫୁଲହାର ଦେଖି, ଗଲି ସବୁ ରାଗ

ଭୁଲି ମୁଁ,

ମୋ ରାଣ ଲୋ ତତେ, ଠିକେ ସବୁ କଥା

ବୋଲିବୁ ।

ମୋ ମରମ କଥା, ତତେ ସିନା ଜଣା

ମାଲୁଣୀ

ନିଜ ରକତର, ମାଆ ବି ସେ କଥା

ଜାଣିନି ।

ସମୁଦ୍ରର ଘାଟୁ, ଫେରି ମୁଁ ସେ ଦିନ

ସଞ୍ଜରେ

କାନ୍ଦିବାର ଦେଖି, ସେଇ ସେ ଦୁଆର-

ବନ୍ଧରେ ।

ଠିଆ ହୋଇ ମତେ, କୋଳ କରି ଆଖି

ପୋଛିଲୁ

ଏତେ ଦିନେ ଆଜି, ଆଖେ ଲୁହ କିମ୍ପା

ପୁଚ୍ଛିଲୁ ।

ବହୁ ପ୍ରବୋଧନା, ସାଧନାରେ ତତେ

ପ୍ରାଣର

ନୃତନ ପ୍ରମାଦ ବଖାଣିଲ ମଣି

ଦୋସର ।

ସେଦିନୁ ତ ଜାଣୁ ତିନୋଟି ବରଷ

ଗଲାଣି

ନୟନରେ କେତେ ନୀର ବାନ୍ଧିହେଇ

ମଲାଣି ।

ସାଜିବାକୁ ଫୁଲେ, ଏ ଛାର ଶରୀର

ଡାକେ କି

ତୁ ଜାଣୁ ଲୋ, ଖାଲି ତାଙ୍କ କଥା, ପାଇ

ଏକାକୀ ।

କହି ତତେ ହୁଏ ସୁଖୀ ଦଣ୍ଡେ କ୍ଷଣେ

ଦିନରେ

ସେହି ତ ଏକଇ ସୁଖ ମୋର

ଜୀବନରେ ।

କେତେବାର ତତେ ପଚାରିଛି ଅତି

ଆଗ୍ରହେ

ବାଟେ ଘାଟେ କେବେ ଦେଖା ହେଲେ ତାଙ୍କ

ବିଗ୍ରହେ ।

ତୁରତେ କହିବୁ, ଦୂର ହେଲେ ଦେଖା-

ଇବୁ ଲୋ

ସାହୁକାର ହୋଇ ଜୀବନେ ଜୀବନେ

ଥିବୁ ଲୋ ।

ମୁରୁକି ହସୁଛି ଚଂଚଳେ ଚାହିଁଛୁ

ଆଜି ଯେ,

ନୂଆ ମାଳା ପୂଣି ଆଣିଛୁ ଯତନେ

ସାଜି ଯେ,

ଆଶାର କାଥା କି ଶୁଣାଇବୁ କି ଲୋ

ଶ୍ରବଣେ ?

କହି, ନିଜେ କେତେ, ବାନ୍ଧିବି ଧଇର୍ଯ୍ୟ-

ବନ୍ଧନେ ?”

“ଆସିଛନ୍ତି ସତେ ?” ମାଳୁଣି ଚତୁରୀ

ଭାଷଇ,

“ତମେ ଜାଣ ତମ ଲୋକ ନ ଆସେ କି

ଆସଇ ।

ମୁଁ କିସ ଜାଣେ ମା ? ପେଟ ଦାଉ ଆମ

ମାଲିକ

ଖଟି ଖଟି ସଞ୍ଜେ, ପାଇବି ଚାଉଳ-

ଗଣ୍ଡିକ ।

ବଣିକ ସାଧବ, ସେଠ ସୌଦାଗର

ବିଷୟେ

ପଶିବୁ ଗରୀବେ ଆମେ କହ କେଉଁ

ଆଶାୟେ ?

ସେଦିନ ଉଛୁର ହେଲା ବୋଲି ମାଆ

ସେଥର

ମନେ ଅଛି କେହ୍ନେ, ଝିଙ୍ଗାସିଲେ ? ତମେ

ସେ କର

ମେଲାରେ କଉଡି ଖେଳୁଥିଲ ସାଙ୍ଗ-

ସଙ୍ଗତେ

ସେତେବେଳେ ମୁହିଁ ନ ଥିଲା ତମର

ଜଗତେ ?

ଏବେ କାମ ଲାଗି- ଥନ ଥନେ ଲୁହ

ବୁହାଇ;

ସାଧବର ସୁଧା- ହୃଦ ୟା ବାଳିକା

କହଇ;

“ମାଳୁଣୀ, ତୁ ସବୁ ଦୋଷ ମୋର ଦିଏ

ପାଶୋରି

ହାତ ତୋ’ ଧରୁଛି, କରି ନାହିଁ କିଛି

ବିଚାରି l

ନିଏ ଏ ସୁନାର ହାର”–“ଛିଇଛି ଏ

କି କଥା !

ଥଟା କରୁଥିଲି ସିନା ମୁଁ ଦେବାକୁ

ବାରତା ?

କିସ ନ ନେଇଛ, ତମଠୁଁ ପୁଣି ଯେ

ମାଗିବି ?

ପେଟ ପୂରେ ଯାକୁ ଦେଖିଲେ, ତାକୁ କି

ରାଗିବି ?

ଶୁଣ ଧନମଣି, ଯାଏ ମୁଁ ହେଲାଣି

ଅନ୍ଧାର ।

ସଞ୍ଜେ ବଗିଚାରେ କାଲି ଦେଖିବୁ ସେ

କୁମାର ।

•••

 

–ଆଠ–

 

(ରାଗ–କଳୀ)

 

ଶୁଣ ସାଧବ

ଖବର ଶୁଭ

ବଧାଇ ନେଲେ ଦେବି

ତବ ମାନସୀ

ନବ ବ୍ରତତୀ

ତନୁରେ ଗୁଡାଇବି ।

କି ମନ୍ତ୍ର ଫୁକି

କାହାଠାରୁ ଶିଖି

ରଚିଲ ଫୁଲହାର

ଛୁଇଁଲାକ୍ଷଣି

ସେ ବାଳାମଣି

ଭୋଗିଲା ଶୀତକାର ।

ଉଠି ଆସନୁ

ବର ବଦନୁ

ସ୍ମିତ-ମୁକୁତା ବୁଣି

ପଚାରେ କର

ଧରି ମୋହର

“ସତ କହ ମାଳୁଣୀ,

କିଏ ସେ ଦେଲା ?

ଧନେ ମିଳିଲା

ଚିଜ ଏ ନୁହେ କେବେ

ପରଶ ପ୍ରୀତ

ଦେଇ ଗୁଁଥିଛି

ମନେ ଯେପରି ଭାବେ ।

ଆମ ନଗରେ

ସାହସ ଭରେ

କିଏ ପେଶିବ ମାଳା

ବିଦେଶୀ କେହି,

ସତେ କି ସେହି ?”

କହି ଚାହିଁଲା ବାଳା ।

ତାକୁ ଉତ୍ତରେ

ଧରି ଓଠରେ

ହଲାଇ ଦେଲି ଧୀରେ

ଇଂଗତି ପାଇ

ସୁଖ ତା ବହି

ଭାସିଲା ଆଖି ନୀରେ ।

 

 

 

ତହୁ ତା ମୃଦୁ

ଭୁଜରେ ମଧୁ

ଅଶ୍ଲେଷ ଦେଇ ଗାଢ଼େ

ପଡ଼ି ମୋ ବୁକେ

ମଧୁର ଦୁଖେ

ନୟନୁ ନୀର ଛାଡ଼େ ।

ଫୁଲ ଫୁଲି ସେ

ଅଫୁଟା ଭାଷେ

କହଇ ମୁହଁ ପୋତି

“ମାଳୁଣୀ ନାନୀ,

ମିଳାଅ ଆଣି,

ଏତିକି ମୋ ମିନତି ।

ବହୁତ ବୋଧ

କରି ଅବୁଝା-

ଟାକୁ ଫେରୁଛି ଏଇ

ସାଧବ ପୁଅ

ସଜାଡ ହୁଅ

ଗୋପନେ ଯ଼ିବି ନେଇ

ଫୁଟିଲେ କଥା

ଯିବ ଏ ମଥା

କୁଟୁମ୍ବ ହେବେ କାଟ

ରାଜା କହିଲେ

ମିଶେ ମୁଁ ହେଳେ

ପଶନ୍ତି କି ଏ ବାଟ ?

ବାଳୁତ ବେଳୁ

ଆଶ୍ରି ଏ ବାହୁ

ବଢ଼ିଛି ଯେ ସଂଖାଳି

ତା’ ଯୁବକାଳ

ଆର୍ଦୋଳି ଜାଳ

କେମନ୍ତେ ନ ସମ୍ବାଳି ?

ତରୁଣୀ ମନ,

ହେଲା ଲଗନ,

ଯହିଁ ସେ ପ୍ରାଣ ତାର

ଦେହ ଭୂଷଣ,

ସୁଖ ସ୍ୱଜନ,

ତା’ ବିନୁ ସବୁ ଛାର ।

ସେଠ ନନ୍ଦନ

ମନରେ ଘେନ

ନିଜରେ ଭାଗ୍ୟବନ୍ତ

ଯେ ଦିଏ ଧର

ଧରେ କି ଧରା,

ତାପରି ଶୋଭାବନ୍ତ ?

ତନୁ ପାତଳ

ଓଠ ପାଟଳ

ଝଳା-ସୁବର୍ଣ୍ଣ ଗାଲ

ବାୟସ କୃଷ୍ଣ

କୁଟିଳ କେଶ

ନିତମ୍ବ ଚୁମ୍ବେ ତାର ।

କଖାରୁ ବୀଜ

ପରି ସଲଜ୍ମ

ସୁନ୍ଦର ଦୁଇ ଆଖି

ଅଦରକାରୀ

ବୋଲି ସେ ଗୋରୀ

କଜଳ ନାହିଁ ମାଖି ।

ଉରୁକୁସୁମ-

ଭାର ସରମ

ଫଳେ ସେ ନଇଁ ଚାଲେ

କେତକା ଦଳ

ଉଡିଯିବାର

ଦେଖିବା ଲୋକଭାଳେ ।

ସେ ଅଚୁମ୍ବିତ

କୁସୁମ ତୁ ତ

ପାଇବୁ ତୋର କରେ

ଭୋଗି ନିଷ୍ଠୁର

ସାଧବ ପୁଅ,

ନୋହିବୁ ତା’ ଉପରେ

ପୁରୁଷ ମନ

ଭ୍ରମର ସମ

ଫୁଲରେ ଫୁଲେ ଉଡ଼େ

ନୂତନ ଆଶେ

ମୋହରେ ପଶେ

ଖଟରୁ ଖତକୁଢ଼େ ।

ତାହା ନ କର

ସାହୁ-କୁମର,

ରମଣୀ କୁହୁକିନୀ

ପୀରତ ଦେଲେ

ଏକା ସେ ହେବେ

ସହସ୍ର ମାୟାବିନୀ ।

ନାରୀ ତ ବୀଣା

ଚାହେଁ ବାଜଣା

ବାୟକ ପୁଂସ କରେ

ପରିଲେ ବାଇ

ଗୀତ ଫୁଟାଇ

ତା ଦେହୁ ନିରନ୍ତରେ ।

ଏତିକି ମନେ

ରଖିଥା ଦିନେ

ବୁଝିବ ବୁଢ଼ୀ-କଥା

ସଂଖାଳି ମୋର

ହେବ ତମର,

ଘୁଞ୍ଚୁତା ପ୍ରାଣବ୍ୟଥା

•••

 

–ନଅ–

 

ମୋ ସ୍ୱପ୍ନ-ରାଜସୁତ ଦୁଆରେ ଠିଆ

ଡାକେଁ ଘରେ କିପରି

ଛନକା ପଶି ମୋର ଚମକେ ହୟା

ମୁଁ କି ତାଂକର ସରି ।

ସାଧବ ପୁଅ ଭୋଗେ ଦୁଖ ମୋ ଲାଗି

ପ୍ରତିଦାନ କି ଦେବି,

କି ଗୁଣ ଅଛି ମୋର–ମୁଁ ଯେ ଅଭାଗୀ,

କେହ୍ନେ ପଦ ସେବିବି ?

ମିଳିବ କେବେ ଦେଖା, ଅବା କିପରି

ସଁପି ଦେବି ଚରଣେ

ନିଜକୁ, ନିଜର ଯା ଅଛି ମୋହରି

ତାଂକ ସୁଖ ବର୍ଦ୍ଧନେ ।

ସେ ପ୍ରାଣପ୍ରିୟ ପୀଡ଼ା ଉପଶମନେ

ଦେବି ଛାତ ରକତ

ତାଙ୍କରି ସୁଖ ଖାଲି ହେବ ଜୀବନେ

ମୋର ନାରୀ-ବରତ ।

କିପାଇଁ ସିନ୍ଧୁ, ନଈ, ଆସିଲେ କାଟି,

ତାଂକ ଦେଶେ ନଗରେ

ମୋ ପରି ଥିବେ ନିକି କୋଟିକି କୋଟି

ମୁଁ କି ଲେଖା ରୂପରେ ?

ତାଙ୍କର ଏ କରୁଣା ଶୁଝେଁ କିପରି

ମୁଁ ତ ସବୁରେ ହୀନ

ସେବାରେ ତାଙ୍କ, ଯେହ୍ନେ ଯାଏ ମୁଁ ସରି

ହୁଏ ଚରଣେ ଲୀନ ।

ମୁଁ ରହେ ଘରେ ଭଲେ ଦାସ ଦାସୀ ରେ

ଅଥାନରେ ସେ ରହି

ବୁଲନ୍ତି ଲୁଚି, ଦାସ ନାହିଁ ସାଥୀରେ

ତାଙ୍କ ଦୁଖ କି କହି !

ମାଲୁଣୀ ନେଇ ଯା’ ଲୋ ରତନ-ମୁଦି

କଣ୍ଠୁ ମାଣିକ-ହାର

ରଜାର ଥାଟେ ତା’ କୁ ରଖିବୁ ବୁଝି

ସେ ଯେ ରାଜ କୁମାର ।

ସଜାଇ ଦେବୁ ତାଙ୍କୁ ବାସ ଭୂଷଣେ

ଯେବେ ଆସିବେ ପାଶେ

କହିବୁ ପାଏ ସୁଖ ଆରେକ ଜଣେ

ତାଙ୍କ କେଳେଶ ନାଶେ ।

ଘୋଡ଼ାରେ ଚଢ଼ି ସୁନା-ମୁକୁଟ ନାଇ

ଚାଲି ଯାଆନ୍ତେ ପଥେ

ଦେଖନ୍ତ ଆଖେ ବାତାୟନରୁ ଚାହିଁ

କିବା ସୁଖ ସେ ମତେ !

ରାଜାର ପୁଅ ଡରେ, ଲୁଚି ଗୋପନେ

ମତେ ଦେବେ ଦର୍ଶନ

ବାଧୁଛି ବଡ଼ ଏହା ମୋର ମରମେ

ଏ ତ ନୁହେ ଶୋଭନ !

ପୁରୁଷ ପରି ମତେ ଲଢ଼ି ସେ ନେବେ

ଲୋକ-ଲୋଚନ ଆଗେ

ଦେବତା ପରି ମତେ ଅଭୟ ଦେବେ

ଚୁମ୍ବି ପ୍ରଣୟ ରାଗେ ।

ବିଳାସେ ହେବି ତାଙ୍କ ହୃଦୟ-ହାର

ଅସ୍ତ୍ର ହେବି ବିପଦେ

କି ଲାଭ ହୁଏ ଯଦି ମୁଁ ତାଙ୍କ ଭାର

ବେଢ଼ି ତାଙ୍କ ଶ୍ରୀପଦେ ?

ଆଛା ମାଲୁଣୀ, ଦେଖା ହେଉ ଲୋ ଆଗେ

ଦେଖା ହେଲେ କହିବି

ସେ ଯଦି ଚାହୁଥିବ ମୋ ଅନୁରାଗେ

ବିଶ୍ୱେ ତାକୁ ଡରିବି ?

•••

 

–ଦଶ–

 

ଶୁଣ ବାୟୁ, ଶୁଣ ହେ ଆକାଶ,

ଶୁଣ ଜନ, ବନ, ତରୁଲତା

ଜୀବନରେ ସକଳ ବିଳାସ

ବିଳାସର ସବୁ ମଧୁରତା ।

ମୁଁ ଯେ ପ୍ରାଣେ ଭୋଗୁଛି ନିବିଡେ

ତେଣୁ ପ୍ରାଣ ଭାସେ ଦୁଇ ତୀରେ ।

ଏ ଧରାର ସାର ଯେ କିଶୋରୀ

ସେ କିଶୋରୀ ସାର ଯେ ହୃଦୟ

ସେ ହୃଦୟ ସାର ପ୍ରୀତି-ଝରୀ

ହାତେ ମୋର ଦେଖ, ସୁଧାମୟ

ପିଇଛି ମୁଁ ମନ ତୋଷ ତହିଁ

ଆନ ମତେ ଦିଶୁଛି ଏ ମହୀ ।

ତୁମେ କେହି ଦେଖିଛତ କହ

ତାହା ପରି ଅଛ କେ ଜଗତେ

ତାହାପରି ପେଲବ ହୃଦୟ

ତା’ ସମାନ ରୂପେ ଚିନ୍ତ୍ରପଟେ ?

ଅନୁପମ ସମସ ସୁନ୍ଦର

ମୋରହିଁ ସେ–ଏକାନ୍ତ ମୋହର !

ଓଠେ ଜଳେ ନିଆଁ ତା ଚୁମ୍ବନେ

ପୁଲକିତ ତନୁ ତାର ବାସେ

ଆଲୋକିତ ହିୟା ତା ମିଳନେ

କବି ବାଣୀ କୋମଳ ତା ଭାଷେ ।

ଚାଲିଲେ ସେ ଫୁଲ ଫୁଟେ ତଳେ

ଘନୀଭୂତ ମଳୟ ତା’ କରେ ।

କାଟି କାଟି ସପତ ଜଳଧି

ଡେଇଁ ଡେଇଁ ଦେଶ, ନଇ, ନାଳ

ଆସିଲି ମୁଁ ଖୋଜି ଯେଉଁ ନିଧି

ପାଇଛି ମୁଁ–ତୁଳା ନାହିଁ ତାର !

ଇନ୍ଦ୍ରଧନୁ ପରି ସେ ସୁନ୍ଦର

ମେଘପରି ସର୍ବ ଶୁଭଂକର ।

ଏଇ ଦେଖ ଆସେ ଉପବନେ

ଦେଖ ତାର ମୃଦୁ ମଧୁ- ଗତି

ସୁନାମେଘ ପ୍ରଦୋଷ ଗଗନେ

ଭାସି ଅବା ଯାଏ ପ୍ରାଚୀ ପ୍ରତି ।

ତା’ ତନୁର ସୁନାକାଠି ଲାଗି

ହୀନ ମାଟି ହୁଅଇ ଶୋଭାଙ୍ଗୀ ।

ଆସ ସଖି ଜପ ହୃଦୟରେ,

ନୟନରେ ପରମ ଦର୍ଶନ

ସ୍ୱାଦୁ, ଶୁଭ, ସୁରଭ, ସୁନ୍ଦର,

ଆନନ୍ଦର ଚିର-ପ୍ରସ୍ରବଣ ।

ବାବଦୂକ କରୁ ତୁହି ମତେ

ତୋରି କଥା କହୁଛି ଜଗତେ ।

କହୁଅଛି ଡାକି ଏହିକଥା,

ମୁଁ ଯେ ଅତି ଭାଗ୍ୟବାନ ଭବେ

କଲେ କିଏ କରୁଥାନ୍ତୁ ଥଟ୍ଟା

ମୁହିଁ ଜାଣେ ମୋର ଗଉରବେ ।

ଧରଣୀର ସାର ଯେ ସୁନ୍ଦରୀ

ସେ ଯେ ମୋର ପ୍ରାଣ ସହଚରୀ,

ସେ ଯେ ମୋର ସର୍ବ ଶୁଭଂକରୀ

ମୋ ସାଗରେ ନବ ସୁନାତରୀ ।

•••

 

–ଏଗାର–

 

ଭୁଜେ ଭୁଜ ଭିଡାଭିଡି, ହୃଦେ ହୃଦେ ଧରି,

ଚରଣେ ଚରଣ ଥାପି ନିବିଡ଼ ସୋହାଗେ,

ଚୁମ୍ବନ୍ତି ସେ ପରସ୍ପରେ ଜଗତ ବିସ୍ମରି,

ଛାଡି ପୁଣି ଚୁମ୍ବ ଦେନ୍ତି ଗାଢ଼ ଅନୁରାଗେ ।

ଇନ୍ଦ୍ରିୟେ ଇନ୍ଦ୍ର ୟେ ହୁଏ ପ୍ରାଣ ବିନିମୟ,

ମୁଖେ ନ ଆସଇ ଭାଷା, ଭରା, ଯେ ହୃଦୟ !

ନ ଦେଖିବେ, ନ ପାଇଚେ ଯେହ୍ନେ ଆଉ ଆନେ

ସେହିକ୍ଷଣ ପରେ ନବ ଯୁବକ ଯୁବତୀ

ତେଣୁ ଚାହୁଁଥାନ୍ତ ପ୍ରିୟେ ଏକ ପୋଷେ ପାନେ,

କରିବାକୁ ଚିର ସେହି କ୍ଷଣ ମଧୁ ରତି ।

ସୁଖ ସଙ୍ଗେ ଗୁନ୍ଥା ଚିର ହଜିବାର ଭୟ

ତେଣୁ ତାଙ୍କ ଚିତ୍ତ ଥିଲା ଆଶଙ୍କା-ଅଥୟ ।

ମନ୍ଦିର ଚମନ ଛଳେ ସାଧବ ନନ୍ଦିନୀ

ଦ୍ୱରା ଖୋଲି ଯାଏ ଚାଲି ଗୃହ ଉପବନେ

କେବେ ବା ଅନ୍ଧାର ରାତି, କେବେ ବା ଚାନ୍ଦନୀ,

ସମୟରେ ଜ୍ଞାନ କାହିଁ ପ୍ରଣୟିତ ମନେ ?

ସ୍ଥାନେ, କାଳେ ପଦେ ଦଳି ଚାହିଁ ସେ ମିଳନ

ବଢ଼ି ନଈ ମାନେ କାହିଁ ତଟରେ ଶାସନ ?

ପ୍ରଥମେ ଯେ ଦିନ ସାଧୁସୁତା ଦେଖେ ଦୂରୁ

ପ୍ରଚୀରର ଆରପଟେ, ବାନ୍ଧବ ସଙ୍ଗତେ

ବିଦେଶୀ ସାଧବ ଯୁବା–ତା’କାନ୍ତ କପାଳୁ

ସ୍ୱେଦବାରି ବହି ଗଲା ଭ୍ରୂଲତାର ଅନ୍ତେ;

‘ଏଇତ ସେ’–କହି କହି ଆପଣାକୁ ଆପେ

ସୁଖ ଭୟେ, ଆଶଂକାରେ ବଷେ କର ଥାପେ ।

ତା’ ପର ସଂଧ୍ୟାରେ ହେଲା ପ୍ରଥମ ମିଳନ,

ଉପବନ ଏକ କୋଣେ । ସାଧବ କୁମାରୀ

ଠିଆ ଥିଲା ପଛ କରି ସଲଜ୍ଜ ଲପନ

ବୃକ୍ଷ ଡାଳେ ଧରି, ଅତି ଶଂକିତେ ବିଚାରି

କେଜାଣିବା କି ହୋଇବ । ଆନନ୍ଦର ପୂର୍ବ

କରିଥାଏ ଜନେ ନାନା ଶଂକାରେ ଅଥର୍ବ ।

ତାକୁ ସେ ଶଙ୍କାରୁ କରି ଉଦ୍ଧାର; ଅଭୟ

ଦେଲା, ସେ ସୁନ୍ଦର ଯୁବା; ପାଶେ ଆସି ତାର

ସ୍ନେହ ଧରି ପ୍ରିୟା-କର ପ୍ରେମ-କମ୍ପ-ମୟ,

ନିକଟ ଆସନେ ଏକ ବସାଇ, ଗଳାର

ମଣିମୟ ହାର କାଢ଼ି ଧଇଲା ଦି’ କରେ

ଧୀରେ ଧୀରେ ପିନ୍ଧାଇଲା ବରାଙ୍ଗୀର ଗଳେ ।

ସରମରେ ସୁକୁମାରୀ ନ ଟେକେ ବଦନ,

ପାଶେ ଘୁଂଚି ତେଣୁ ଯୁବା ଟେକେ ମୁଖ ତାର,

ଦ୍ୱିତୀୟା ଚନ୍ଦ୍ରମା ସମ ହସି, ତା ଲପନ

ତରୁଣୀ ଛଟକେ ଘେନି ଯାଏ ଅନ୍ୟ ଆଡ଼;

ଦୁଇ ହାତେ ବନ୍ଦୀ କରି ସାହସୀ ତରୁଣ

ଥାପିଲେ ସେ ମୁଖ ବକ୍ଷେ ଲଜ୍ଜାରେ ଅରୁଣ ।

ସେ ହେଲା ପ୍ରଥମ ଦେଖା; ପ୍ରତି ରଜନୀରେ

ତା ପରେ ମିଶିଲେ ବେନି ପ୍ରାଣୀ ବାରେ ବାରେ

ଅତ୍ୟନ୍ତ ଗୋପନେ ଗୁପ୍ତ ସଂକେତ ସ୍ଥଳିରେ,

ଦିନ ସାରା ଚାହିଁଥାନ୍ତି ମିଳନର କାଳେ;

ବୌଶାଖେ ଧରଣୀ ଯଥା ଅପେକ୍ଷେ ସଂଧ୍ୟାରେ

ବିପନ୍ନ ନାବିକ ଲୋଡେ ଯେସନ ବେଳାରେ ।

ଦେଖା ହେବା ବେଳୁଁ ବିଦାୟର ବେଳ’ ଯାଏ

ବେନି ମଧ୍ୟେ ନାହିଁ ଥାଏ ତଳି ବ୍ୟବଧାନ

ଡେଣା ଛନ୍ଦାଛନ୍ଦି ବେନି ପକ୍ଷୀ ଥିଲା ପ୍ରାୟେ

ରହି, କରୁଥାନ୍ତି ପ୍ରୀତି ଦାନ ପ୍ରତିଦାନ ।

ବେନିଏ ଚାହାନ୍ତି ମିଶି ଏକ ହେବେ ପରା

ଚୁମ୍ବନ, ଆଶ୍ଳେଷ ତା’ର ଚେଷ୍ଟା ପରମ୍ପରା ।

ନ୍ତ୍ରମେ ପଦେ ଅଧେ କଥା ତୁଣ୍ଡରୁ ବାହାର

‘ଆସ’ ‘ବସ’ ‘ଚାଲିଯିବ’ ? ‘ଆସିବ ନା କାଲି’ ?

ନ୍ତ୍ରମେ ବାଣୀ କରୁଁ ତାଙ୍କ ପ୍ରଭାବ ପ୍ରସାର

ମୁକତାରୁ ହେଲା ନ୍ତ୍ରମେ କଥା, ଥଟ୍ଟା, ଗାଳି ।

ପ୍ରଗଲଭ ତ ଚିରକାଳ ରମଣୀ ରସନା

ତରୂଣୀକୁ ଖନା କରେ ତା ବଚ-ରଚନା ।

ବିଦେଶେ କି ଭୋଜନର ସଉଖ୍ୟ ସମ୍ଭବ ?

ଭାବି ସୁଗୃହିଣୀ ପରି ଉତ୍ତମ ମିଷ୍ଟାନ୍ନ,

ତରୁଣୀ ଲୁଚାଇ ଆଣି ଖୁଆଏ ସାଧବ-

ପୁଅକୁ, ସୋହାଗେ ପୁଣି ସୁବାସିତ ପାନ

ଗୁଞ୍ଜି ଦିଏ ପ୍ରିୟ ଓଠେ; ଦୁଇ ଖଣ୍ଡ କରି

ଓଠେ ଓଠେ ନିଅନ୍ତି ବା ହୋଇ ଛଡାଛଡି ।

କ୍ଳାନ୍ତି ଛଳ କରି ସୁକୁମାରୀ ପଡ଼େ ଢଳି

ବେଳେ ବେଳେ ଯୁବା କୋଳେ ମୃତ ପକ୍ଷୀ ସମ,

ଦେଖେ ଯୁବା ପ୍ରିୟା ଗଣ୍ଡ ଜୋଛନାରେ ଝଳି,

ବକ୍ଷେ ଛାୟା ଆଲୋକରେ ନ୍ତ୍ରୀଡ଼ା ମନୋରମ ।

ପ୍ରାଣର ପରମ ପ୍ରେୟ ସେ ନବ ରୂପସୀ–

ଗଣ୍ଡେ ଚାହୁଁ ଚାହୁଁ ଡେରି ହୋଇଯାଏ ନିଶି ।

ଏମନ୍ତେ ତରୁଣୀ-ପ୍ରତି ଉଚ୍ଛନ୍ନ, ଉଦ୍‍ବେଳ,

ଚାଲିଲା ଗୋପନେ କିଛିକାଳ ବାଧା ହୀନ

ବେଳାଚାରୀ ମୃଗସମ, ପ୍ରଣୟୀ ଯୁଗଳ

ଲଘୁପଦ କ୍ଷେପି କାଟିନେଲେ କିଛି ଦିନ ।

ଗୁରୁଭାର ଲଘୁ କରିବାରେ ଜୀବନର

ନିଜରେ ଦେବଠୁ କିବା ଅଛି ଶ୍ରେଷ୍ଠତର ?

ଜୀବ ହୁଏ ଶିବ, ଦେଲେ ନିଜେ ବହୁ ପାଇଁ

ପ୍ରେମିକ ହୁଅନ୍ତି, ଦେଲେ ଦୁଇ ପରସ୍ପରେ,

ବହୁ- ହିତ-ସୁଖ ମହାଜନେ ସିନା ପାଇ,

ପ୍ରୀତି ଦେଇ ସେହି ମୁଖ ଭୁଞ୍ଜନ୍ତି ଅପରେ ।

ପ୍ରୀତି, ପୂଜା, ଶୁଭକର୍ମ ଏକ ଉପାଦାନ

ସ୍ଥାନ ଭେଦେ ଦିଶେ ଥିବା ପରି ବ୍ୟବଧାନ ।

ଇଛନ୍ତି ଯୁବତୀ ୟବା ଦେବେ ଆଉ ନେବେ

ଦେହ, ହୃଦ, ପ୍ରାଣ, ଅଶ୍ର, ଅନ୍ତର, ବାହାର;

ସାଧବଙ୍କ ସୁତସୁତା ମିଳଗଲେ ଯେବେ

ବହୁ ଅପେକ୍ଷାରେ, ତାଙ୍କ ପ୍ରାଣର ଜୁଆର

ମିଶିବାକୁ ପରସ୍ପରେ ଧାଇଁଲା ଉତ୍‍କୂଳ

ଚୁମ୍ବକ ଆୟସେ ଯଥା କରଇ ଆକୁଳ ।

ନବୀନ ମିଳନ ସୁଖେ ମଗ୍ନ ବେନି ଜନ,

ଅନଭିଜ୍ଞ ଦୁହେଁ, ଭାବୁଛନ୍ତି ସେହି ଶେଷ

ଦିନେ ହେଲେ ନ କରନ୍ତି ମନେ ବିଚାରଣ

ୟା ପରେ ଭବଷ୍ୟେ ଅଛି ସୁଖ ଅବା କ୍ଳେଶ ।

ଥିବକି ଏ ସ୍ନେହ ଚିର ? –ବାଳା ନ ପଚାରେ

ଆଶାଙ୍କାରେ ଚିହ୍ନ ନାହିଁ ତରୁଣ ଆତ୍ମାରେ ।

ପରସ୍ପର ଭୋଗି ଦୁହେଁ ଥାଅନ୍ତ ବିଭୋର

ଦିନକେ ମାଳୁଣୀ ଦେଲା ଚମକ ସଂବାଦ,

ଜଗୁଥିବା ଛକି ଛକି ରାଜ-ଗୁପ୍ତ-ଚର

ଜାଣି ଏଥି ଯୁବକର ଗମନ ଅବାଧ ।

ସେଦିନ ମିଳନ ବେଳେ ଯୁବତୀ ପ୍ରସ୍ତାବେ

“ଚାଲ ଘେନି ମତେ ଲୁଚାଇଣ ତବ ନାବେ ।’

କୃଷ୍ଣାତିଥି ଦେଖି’, ତହୁଁ କରିଲେ ଯୋଗାଡ଼,

ଘୋର ରାନ୍ତ୍ରେ ଲୁଚି ହେଲେ ଦାଣ୍ଡକୁ ବାହାର

ପାଦେ କଲା ବିଶ୍ୱସ୍ତା ସେ ମାଳୁଣୀ ଜୁହାର;

ଦୁର୍ଗା ସ୍ମରି କଲେ ଦୁହେଁ ଶୁଭେ ପାଦ-ଚାର ।

କିଛି ଦୂର ଯାଇଛନ୍ତି ଶୁଭିଲା ପଶ୍ଚାତୁଁ

ଆସିବାର ତାଂକ ଆଡ଼େ ଦ୍ରୁତ ଘୋଡ଼ା-ଟାପୁ ।

•••

 

–ବାର–

 

“ଧର ଧର ମାର୍ ମାର୍,

ବାନ୍ଧ୍–ନା’ ନା’ କର୍ ଖୁଣ୍

ଆଜ୍ଞା ଅଛି ଟୋକୀଟାକୁ

ନାହିଁ କର ଟାଣ୍ ଟୁଣ୍ ।

ବିଦେଶୀର ହାତ ଏ ଯେ,

ଲମ୍ବା, ଲଙ୍ଘା ତଲୁଆର,

ଠୋଙ୍ଗା ଖାଲି ଆମ ହାତେ,

ଭୁଲ୍ କଲା ସରଦାର୍ ।”

ସରଦାର୍ କହେ ହାଁକି

“ଶାଲା ତମେ ଶହେ ପରା,

ତଲୁଆର କି କରିବ ?

ଅଟକାରେ ଘୋଡ଼ା ଗଲା !

ଅଶ୍‍ବାର୍ ଯିଏ ଅଛ,

ତଲୁଆର୍‍ ଖୋଲି ନିଅ

ଘୋଡ଼ା ଅଟକାଇ ଆଗେ

ପାଇବାକୁ କାମ ଦିଅ ।”

ଖସା ଖସ୍ ଖସା ଖସ୍

ଘୋଡ଼ା ଛୁଟେ ବାଲି ପରେ

ଗରଜେ ଦରିଆ ଆଗେ

ବୋଇତ ନାଚଇ ଜଳେ ।

ସାଧବର ସୁକୁମାରୀ

କନ୍ୟା ଘେନି କଳିଙ୍ଗର–

ସାଧବ ତନୟ ଛୁଟେ,

ଦୁହେଁ ଝାଳେ ସରସର୍ ।

ତରୁଣ କହଇ ମୁଖ–

ଲେଉଟାଇ ‘ଭୟ ନାହିଁ ।’

ତରୁଣୀ କହଇ ମୁଖ–

ତୋଳି ‘ଭୟ କାହିଁ ପାଇଁ ?

ତରୁଣ କହଇ “ଆମେ

ହେଲେ ଆସି ବୋଇତରେ”

ତରୁଣୀ କହଇ” ରାଜା

ପାଇକ ଯେ ଆସି କଡ଼େ ।”

କହୁ କହୁଁ ଦେଲେ ଛକି

ରାଜା ପାଁଚ ଅଶବାର୍

“ନାରୀ ଛାଡ଼ି ଚାଲି ଯାଅ”

ହାଁକେ ଉଚ୍ଚେ ସରଦାର୍ ।

“ପ୍ରାଣ ଥିଲା ଯାଏ ନୁହେଁ”

ତରୁଣ ପ୍ରଣୟୀ କହେ,

ଘୋଡ଼ା ତାର ଫୁତ୍‍କରି

ଥୟ ଭୂମେ ନାହିଁ ରହେ ।

ସରଦାର କହେ ଡାକି

“ପାଇକେ ଟୋକୀକି ଦେଖ,

ଟୋକାତ ନ ଶୁଣେ କଥା

ହାଣକୁ ଦେଖାଏ ବେକ ।

ତାଇ ହେଉ । ଲାଗିଯାଅ !”

ଶୁଣୁ ଶୁଣୁ ପାଇକାଳି

ଟାଣି ତଳେ କିଶୋରୀକି

ହେଲେ ଠିଆ ବାନ୍ଧ ଧାଡ଼ି ।

କ୍ଷଣିକ ଛନକା ଘୁଁ ଚୁ

ନୀବି ତଳୁ କାଢ଼ି ଛୁରା

ଗରଜେ ସାଧବ ଝିଅ

“ଛୁଅଁ ତ ପାମର ଗୁରା !”

ଘୋଡ଼ା ଲେଉଟାଇ ଏଣେ

ଝମକାଇ ତରବାର

ସାଧବ ତନୟ ଧାଏଁ

ଯିବ ଯହିଁ ପ୍ରିୟା ତାର ।

ତଲୁଆରେ ତଲୁଆରେ

ଲାଗେ ଧକ୍କା ଝଣାଝଣ୍

ଅନ୍ଧକାରେ ଫୁଟିଉଠେ

ଶାଣ ଲୌହୁ ଅଗ୍ନିକଣ ।

ସାଧୁସୁତା ଧାଇଁ ଆସେ

ଅଟକାନ୍ତି ପାଇକାଳି

ସାଧୁସୁତ ଧସି ଯାଏ

ହୁଏ ଖଡ୍ଗେ ମରା ମରି ।

ଶେଷରେ ଗଲାଣି ଜଣା

ତଲୁଆର ଚୋଟ ବାଜି

ସାଧୁସୁତ ଦେହ ବାସ

ରକତେ ଗଲାଣି ଭିଜ;

ଦୁଇ ପ୍ରଣୟୀର ଚୋଟେ

ପାଞ୍ଚ ଛଅ ରାଜାଲୋକ

ଗଡ଼ିଲେଣି ତେଣେ ତଳେ

ବନି ବହେ ଭକ୍ ଭକ୍ ।

ଏକା ଏକା ଶହେ ସାଥେ

କେମନ୍ତେ ଲଢ଼ିବେ ଆଉ

ଅଶକତେ ଗଲେ ଢଳି

ଦୁହେଁ ଦୁହଁ ନାମ କହୁ ।

ଚକତେ ଛଡାଇ ଛୁରା

ଟେକି ନେଉଁ ଘୋଡ଼ା ପରେ

କିଶୋରୀ ଚମକି ହେଲା

ଉଭା ପୁଣି ତେଜ ଭରେ ।

କହଇ କରୁଣ ବାଣୀ

“ଶୁଣ ବାବା ସରଦାର

ନିଅ ମୋର ହୀରା ନୀଳା

କଣ୍ଠୁ ବହୁମୁଲ୍ୟ ହାର ।

ତାଙ୍କ ପାଖୁ ଛାଡ଼ି ମତେ

ନିଅ ନାହିଁ”–କହି ଧାଏଁ

“ଆଜ୍ଞା ନାହିଁ” “ମୁଣ୍ଡ ଯିବ”

ବୋଲି ଶନ୍ତ୍ରୁ ଅଟକାଏ ।

ଅଟକାଇ ଏଥରକ

ଦେଲେ ବାନ୍ଧି ମୁଖ ହାତ

ଥୋଇ ଘେନି ଗଲେ ଅଶ୍ୱେ

ଲୁହେ ଓଦା ସାରା ବାଟ ।

କି କି ହେଲା ବୋଲି ଏଣେ

ବୋଇତରୁ ଆସୁଁ ଜନେ

ସବୁ ରାଜା-ଅଶବାରେ

ପଳାଇଲେ ଏଣେ ତେଣେ ।

ଦେଖିଲେ ସେମାନେ ସାଧୁ-

ସୁତ ପଡ଼ି ଅନ୍ଧକାରେ

ଅଧା ଚେତ,–ଡାକୁଅଛି

“ଅଛି ତ ସେ ମୋ ପାଶରେ ?”

•••

 

–ତେର–

 

ପ୍ରଭଂଜନ ପରେ ଶାନ୍ତ, ହେଲା ପରି ଧରା,

ଜଣା ପଡ଼େ ସେ ନଗର । ପାଇକ ପହରା

ଚାରିଆଡ଼େ, ଚୁପି ଚୁପି ହୋନ୍ତି କୁହା କୁହି

ନଗ୍ରଜନେ ଲୁଚି ଘର ପଛ ପଟେ ରହି ।

ସାଧବ ଖାଇଛି ହଣା, ବିଦେଶୀ ଯୁବାର

ଲୋକବାକ ବନ୍ଦୀ,ଦୁଇ ବୋଇତ ତାହାର

ହୋଇଅଛି ଦଗୁ, ସାଧୁସୁତ ସାଧୁସୁତା

କାହିଁଛନ୍ତି, କାହିଁ ଗଲେ, ମିଳେ ନାହିଁ ପତ୍ତା ।

ଏହିପରି ନାନା କଥା ଉଠେ ଲୋକ ମୁଖେ

କେ କହଇ ଥଟା କରି, କହେ କେହିୁ ଦୁଖେ ।

ମାଲୁଣୀଟା କାନ୍ଦେ ଉଚ୍ଚେ ପୁଷ୍କରିଣୀ ଘାଟେ

ଶୁଣି ଠିଆ ହେଉଛନ୍ତି ଯିବାଲୋକ ବାଟେ ।

“କାଣୀ କୁଜି ଘର କରି ରହନ୍ତି ସୁଖରେ

ସୁନାକାଠି ମୋର ମଲା ଏତେ କଲ୍‍ବଲେ !

କାହା ପାଇଁ ଫୁଲ ଆଉ ଗୁନ୍ଥିବି ଯତନେ

କିଏ ପଣତରେ ଗୁଁ ଜିଦେବ ଖୁସି ମନେ

ପିଠା ପଣା, ଧନ ଦ୍ରବ୍ୟ, ଯାହା ଯେଉଁ ଦିନ;

ତା’ ହାତକୁ ଚାହିଁବେ ଗୋ ଆଉ ଦୀନ ହୀନ ।

ପିଲାକାଳୁ କୋଳ କରି, କରିଲି ମନିଷ

ବିଧାତା ତୁ ଅମୃତକୁ କରିଦେଲୁ ବିଷ ।

ଜପି ଜପି ଯୁଗ ଯୁଗ ଯାହାକୁ ସଂଖାଳି

ପାଇଥିଲା, କ୍ଷଣକେ ସେ ହାତକୁ ଗଲା ଭାରି ।

ଦୂରୁଁ ଯେ ଦରିଆ କାଟି ଆସିଥିଲା ଧାଇଁ

ଦଣ୍ଡେ ହେଲେ ମୋ ଧନକୁ ଭୋଗ କଲା ନାହିଁ ।

କାହିଁକି ଦୁହିଁକି ବିଧି କରାଇଲୁ ଦେଖା,

ଏକ ଆନ ପାଇଁ କରି ରହିଲେ ଅପେକ୍ଷା,

ମିଶିଲା ବେଳକୁ ତାଙ୍କୁ ଫିଙ୍ଗିଲୁ ଛିଣ୍ଡାଇ,

ତୋ ବେଭାର ବିଧାତାରେ ବୁଝା ପଡ଼େ ନାହିଁ ।

ଏକ ଅନ ପାଇଁ ଯେହ୍ନେ ହୋଇଥିଲେ ଗଢ଼ା

ମିଶିଲା ବେଳକୁ ବିଧି କଲୁ ଛଡ଼ା ଛଡ଼ା ।

କାହିଁଗଲେ କେ କହିବ, ଜଣାପଡ଼ୁ ନାହିଁ,

କେ କହେ ବନ୍ଦୀ ସେ ଦୁହେଁ ଦୂରଗଡ଼େ ଯାଇଁ ।

କେ କହେ ବି ହଣା ହେଲେ–ଆହା ହାତ କାର

ତାଙ୍କ ଗଳେ ଚଳାଇବ ପୁଣି ତରବାର ।

ବନ୍ଦୀ ହୋଇଥିଲେ ସେ ତ ଆହୁରି କଷଣ

ଭୋକ ଶୋଷ ପଡ଼ିଥିବେ, କାନ୍ଦି ଅନୁକ୍ଷଣ ।

ନିତିଦିନ ଭୋକିଙ୍କି ଯେ ଅନ୍ନ ଦେଉଥିଲା

ତାଙ୍କୁ ବିଧି କେଉଁ ପାପେ ରଖିବୁ ଭୋକିଲା !

ପାପୀ ଅତ୍ୟାଚାର ସେହୁ ବଞ୍ଚି ସୁଖ ଦରେ

ଦେବ ଶିଶୁ ଦୁହେଁ ମୋର, ଭୋକ ଶୋଷେ ମଲେ ।

ବୃଦ୍ଧକାଳେ ଏୟା ମତେ ଦେଖିବାକୁ ଥିଲା ।

ଶୁଣିବା ବେଳରେ ଛାତି କିଆଁ ନ ଫାଟିଲା ।

•••

 

–ଚଉଦ–

 

ଗହନ ବନ ଭୂଇଁ କୁଆଡ଼େ କେହି ନାହିଁ

ରହିଛି ଗଡ଼ ତହିଁ ଅମୁହାଁ,

ହଅଁତି କୁହାକୁହି ବନ୍ଦନୀ ତହିଁ ବାଳା,

ଜଗାଳି ରାଜାଘର ଛାମୁଆ ।

ଉପରେ ନିରଜନେ ଅନ୍ଧାର ଘର କଣେ

ପଡ଼ିଛି ଅନାହାରେ ଅବେଶେ,

କହିଛି ରାଜାପୁଅ ଯେ ଯାଏଁ ନ ମଙ୍ଗିଛି

ସେ ଯାଏଁ ନ ଛାଡ଼ିବ କେବେ ସେ ।

ଦିନକେ ଥରେ ଖାଲି ଚେଟୀଏ ଯାଇ ପାଶେ

ମାରାଇ ଅଙ୍ଗୀକାର ସରାଗେ,

ଲୋକରେ ଶୁଣାଶୁଣି ଫେରାଇ ସେ ବିଚାରି

ପ୍ରହାର ଖାଇ ନିତି ବିରାଗେ ।

ଜଗିଛି ରାଜାପୁଅ ତାପେ ପ୍ରତାପେ ଜିଣି

ଯିବ ସେ ହାତେ ଧରି ମାଣିକ,

ରୂପର ବିପଣୀରେ ସଦମ୍ଭ ଠାଣିରେ ସେ

ଦେଖାଇ ହେବ ବଡ଼ ବଣିକ ।

ଦିନକେ ନିଶୀଥରେ ସକଳେ ନିଦିଭୋଳ,

ଅନ୍ଧାର ଘୋର ସେହି ବିପନେ

କାହୁଁ ସେ ବଇରାଗୀ ନୀରବ ନିଶି ଭାଙ୍ଗି

ଗାଇଲା ଗାଥା ଆତି କରୁଣେ ।

କାହିଁରେ ଗଲୁ ପ୍ରିୟ ଦୋସର ପ୍ରାଣ ମୋର,

ବଞ୍ଚିଛୁ ମରିଛୁ କି ନ ଜାଣି

ଅନ୍ଧ ମୁଁ ଅନ୍ଧାକାରେ ହଜିଲା ଚିଜ ଖୋଜେ,

ଆକୁଳେ କରୁଅଛି ଭ୍ରମଣି ।

ନଗରୁ ନଗରେ ମୁଁ ଖୋଜିଲିଣିରେ କେତେ

ଖୋଜିଛି ବନ, ବିଲ, ପ୍ରାନ୍ତର,

ଚାଲି ଢଳିପା ମାଂସ ହେଲାଣି ଆସି ଶେଷ

ହେଲାଣି ଅନାହାରେ ଦୁର୍ବଳ ।

କ୍ଷଣକ ଲାଗି ହେଲେ ଦେଖାଇ ଦିଅଁ ତା କେ

ସେ ଆଖି ଦୁଇ ସୁଧା-ବହନ୍ତୀ,

ସକଳ ଦୁଖ ମୋର ଉଭେଇ ଯାଅଁତା ରେ

ଚାହିଁ ଚାହିଁ ମୁଁ ସୁଖେ ମରଁତି ।

ସାଧବ ପୁଅ ମୁହିଁ ତା ଲାଗି ଝୁରି ହୋଇ

କାଙ୍ଗାଳ ପରି ବୁଲେ ମହୀରେ,

ମରିବା ଆଗୁଁ ଖାଲି ଏତିକି ଜାଣେଁତା ସେ

ତାକୁ ମୁଁ ଭୁଲିନାହିଁ, ନାହିଁ ରେ ।

ମୋର ଛାର ପାଇଁ ସିନା କୁସୁମ ସୁକୁମାରୀ

ପାଇଲା ଏତେ ଏତେ କଷଣ,

ସେ ତ ମୋ ପାଶେ ନାହିଁ ମଶାଣି ମତେ ମହୀ

ବଁଚିବା ମତେ ଅତି ଭୀଷଣ ।

ରାଜାର କଟୁଆଳେ ଛଡାଇ ନେଲେ କାହିଁ

ଏ ବାହୁ ପାଶୁ କାଢ଼ି ତାହାରେ,

କି ଟାଣେ ଧରିଥିଲା ଶେଷ ନିମେଷ ଯାଏଁ

ମୋ ଗଳା, କୋମଳ ତା’ ବାହାରେ ।

“ବିଧାତା ଏହା କଲୁ”– କାତରେ, କହୁ ପ୍ରୟା

କାହିଁ ଯେ ଘେନିଗଲେ ଚଣ୍ଡାଳେ,

କେହି ନ ପାରେ କହି ଖୋଜିଲି ସାରା ମହୀ

ଜୀବନେ ଅଛି କି ନା ବିଚାରେ ।

ବୋଇତ ମୋର ନେଲା ରାଜାର ପୁଅ ଭାଙ୍ଗି

ଶଶୁରେ ମାରି, ନେଲା ସମ୍ପତ୍ତି,

ପଳାଇ ପ୍ରାଣ ରଖି କେବଳ ମୁହଁ ମୁଢ଼

ଅନୁଭବୁଛି ଗାଢ଼େ ବିପତ୍ତି ।

କୁଆଡ଼େ ଯିବି ଆଉ କାହିଁ ବା ଖୋଜିବି ମୁଁ

ନିଶୀଥେ ଗହନ ଏ କାନନେ”–

କହୁଁ ଉପରେ ଶୁଭେ ଖୋଲିବା ବାତାୟନ,

ରମଣୀ ସ୍ୱର କ୍ଷୀଣ କମ୍ପନେ ।

ଚମକି ଚାହିଁଲା ସେ ଚକିତେ ଉପରକୁ

ଶୁଭିଲା ଉପରେ କେ ଭାଷିଲା,

“ଏଇ ଯେ ମୁହିଁ ପ୍ରିୟ କୋଳକୁ ପୁଣି ନିଅ”

ସାଧବ-ସୁତା ତଳେ ଖସିଲା ।

ଭାଷ ନ ହେଉ ଶେଷ ସରିଲା ତା ନିଶ୍ୱାସ

କରକା ପଡ଼ି ଯେହ୍ନେ ଗଳଇ,

ଭୂତଳେ ହୋଇ ଛେଚି ପଡ଼ିଲା ସେ ମୁରୁଛି

ସାଧବ ପୁଅ ଧାଇଁ କୋଳଇ ।

କୋଳେ ସେ ଜାକି ଚୁମ୍ବ ଦିଅନ୍ତେ, ନବ ଶବ

ବାହୁରେ ଧରେ ତାକୁ ଅଶ୍ଳେଷେ,

‘ମତେ ଗୋ ସାଥେ ନିଅ’– କହି ସାଧବ ପୁଅ

ପଡ଼ିଲା ଢଳି ମଧୂ ଆବେଶେ ।

ଶବଦ ଶୁଣି ନିଦେ ଚକିତେ ଉଠି ସର୍ବେ

ଆସିଲେ ଘେନି ହାତେ ମଶାଲ,

ରାଜାର ପୁଅ ମିଳି ଦେଖେ ତ କୋଳାକୋଳି

ଦୁଇଟି ଶବ ପ୍ରୀତ-ରସାଳ ।

ପାଷାଣ ପରିହୋଇ ରହିଲେ ଚାହିଁ ମହୀ

ବଚନ- ହୀନ କଲା ସେ ଛବି,

ଜୀବନ ବାଧା ଡେଇଁ ମିଳନ-ସିନ୍ଧୁ ପାଶେ

ମରଣ- ପଥେ ପ୍ରୀତ-ଜାହ୍ନବୀ ।

Image